ଅସରନ୍ତି କୁହେଳିକା ସେ ଚକ୍ଷୁ ଯହିଁ ଚାହେଁ
ଚାହୁଁ ଚାହୁଁ ଗୋଲାପ ସ୍ବର୍ଣ୍ଣ ତହିଁ ବିଦ୍ୟମାନ ହୁଏ
ହେବ ହେବ ବୋଲି ଦ୍ବିଜ-ସ୍ବର ପୁଣି ଶୁଭେ
ଶୁଭ ଶୁଭ୍ର ଉର୍ମି ବକ୍ଷେ ଆଭା ମୋକ୍ଷ ଲଭେ
ଏଭଳି ଦୃଶ୍ୟର ଦୃଷ୍ଟାନ୍ତ ବା କାହିଁ
ସବୁଠି ଥାଏ କିନ୍ତୁ ଦୃଶ୍ୟ ହୁଏ ନାହିଁ
ଜୀବନ ଭଳି ମନେହୁଏ ଅବା ତାହା ହିଁ ଜୀବନ
ମନ ମଧ୍ୟେ ପ୍ରଶ୍ନ ଅସୁମାରି ହୁଏ ଉଦ୍ଭାବନ
ଅନନ୍ତ ଶିଖା ଭଳି ଜଳେ ପ୍ରଶ୍ନ ଏଠି
କେଉଁ ରାଜ୍ୟେ ଖୋଜିବୁଲେ, ଉତ୍ତର ଅଛି ଅବା ସେଠି?
ଆଖି ଦେଖେ ଯାହା ଏଠି, ଭ୍ରମ ତହିଁ ବିଦ୍ୟମାନ
ସ୍ବପ୍ନେ ସତ୍ଯ ଉଭା ହୁଏ, କେବେ କରେ କି ସନ୍ଧାନ ?
ମରୁ ମଧ୍ୟେ ଉଦଧି ଥିଲା, ବୋଧ ହୁଏ କେବେ
ରତ୍ନ ତହିଁ ସାଉଁଟିଲେ, ମିଳିବ କି ଏବେ?
କିମ୍ବଦନ୍ତୀ କୋଳେ, ଅସ୍ପଷ୍ଟ ସେ ତାରାଦୀପ୍ତି ମେଳେ,
ପ୍ରହେଳିକା ଅନେକ ।
ମନ କିନ୍ତୁ ପ୍ରଭାମୟୀ, ଚିତ୍ତ ଦ୍ଯୁତିମୟୀ
ସମାଧାନ ତହିଁ ଐକାନ୍ତିକ ।
