କଲ୍ଲୋଳିତ ତା' ହସ ମଧୁରୀମା ପ୍ରାତଃରେ
କିନ୍ତୁ କହେନା ସେ ମନ ଖୋଲି ମନ କଥା ମୋତେ
ଅଜଣା କି ମୁଁ ଏବେ ବି, ଥାଇ ସର୍ବଦା ତା' ପାଖରେ ?
ଦିନ ଆସେ ଦିନ ଯାଏ, ନିରନ୍ତର ସେ ବହି ଥାଏ
କୁଟା କାଠି ଝଡା ପତ୍ର, ସ୍ରୋତେ ତା'ର ବାହି ନିଏ
ବାହି ନିଏ ସେ ଅଝଟ ପ୍ରାର୍ଥନା, ପୁଣି ପଥିକର କ୍ଳାନ୍ତ ସ୍ମୃତି
ଅଲୋଡ଼ା କବିର କବିତାରେ କେବେକେବେ ପ୍ରେମର ଆବୃତ୍ତି
ମନେ ପଡି ଯାଏ ମୁଁ ଅକସ୍ମାତ ବୋଧେ... ମୋ ବକ୍ଷେ ଛାଡ଼ି ଯାଏ
କେବେ କିଛି ବସ୍ତୁ, କେବେ କିଛି ଅଖୋଜା କାହାଣୀର ଇତି ବୃତ୍ତି
(ତଥାପି କହେନା ସେ ମନ ଖୋଲି ମନ କଥା ତା'ର
ବେଳେବେଳେ ବାହି ନିଏ ସେ ସ୍ମୃତି ମଧ୍ୟୁ ସ୍ମୃତି ମଧ୍ୟ କିଛି)
କେବେ ପୁଣି ଆସେ ଆଷାଢ଼ର ସେ ଘନ ମେଘମାଳ,
ଝୁମି ଝୁମି ନାଚି ଉଠେ ଶୁଣି ଆକାଶର ମୃଦୁ ତାଳ
ଶ୍ରାବଣର ଧାରେ ପୁଣି କେବେ ହୁଏ ଭାବବିହ୍ବଳ
ଅଣାୟତ୍ତ ହୋଇ ଲଙ୍ଘିଯାଏ ମୋତେ, ଭସାଏ ସେ ସ୍ଥଳ
ରୋକିବାକୁ ଚାହିଁ ମଧ୍ୟ ମୁଁ କେବେ ବା ରୋକି ପାରିଛି
ଅପେକ୍ଷାରତ ଥାଇ ମଧ୍ୟ ସେ ମୋ ଅପେକ୍ଷା ବା କେବେ ବୁଝି ପାରିଛି
ତା' ଭାବରେ ଅସ୍ତିତ୍ୱରୁ କିଛି ତା' ଜଳେ ଜଳମଗ୍ନ କରିଛି
ଅବିରତ ତା' ଝଲକ ପାଇଁ ସମୁଦ୍ର ପାଖେ ମଧ୍ୟ ମୁଁ ବସା ବାନ୍ଧିଛି
(ତା' କୂଳ ମୁଁ, ସର୍ବଦା ନଦୀ ପାଇଁ ଚିହ୍ନିତ
ମୋ ନାଁ ରେ କ'ଣ କେବେ ନଦୀ ଚିହ୍ନା ପାଇଛି?)
ମନ କଥା ତା'କୁ କେବେ କେବେ କହିଛି
କିଛି କଥା ଏବେ ବି ଅକୁହା ରହି ଯାଇଛି
ତା' ଖୁସିରେ ଖୁସି ହୋଇ ଆପଣେଇଛି ମୋହ କୁ
ତା' ଦୁଃଖ ଦେଖି ରୋକିବି କେତେ ଅବା କୋହ କୁ
ମୋ ଖୁସି, ଦୁଃଖ, କୋହ, ମୋହ ତା' ପାଇଁ ଓ ତା'ର
ନିମିତ୍ତ ମୁଁ, ତା' ନାମେ ନାମିତ, ମୁଁ ମଧ୍ୟ ନୁହେଁ ମୋ'ର
/ 28
: 486
Copyright © 2025 One Life To Live. All Rights Reserved






No comments:
Post a Comment
Please let me know how you felt. I am all ears. Post a comment!